.comment-link {margin-left:.6em;}

Bhakua Sadei ଭକୁଆ ସଦେଇ

Thursday, July 01, 2021

Happy, I’m not alone

 Today being Doctor’s Day, a classmate of mine Dr. Santosh Behera greeted me on WhatsApp and forwarded a write up in our local vernacular language Odia on ଭକୁଆର ଆତ୍ମକଥା  which roughly translated will mean ‘ Life history or Self description of a Bhakua’ by Dr. Abhay Dash, his friend in Delhi. I liked the satire so much that I wrote back to Santosh to seek Dr. Dash’s permission to publish in my blog which is largely a photo-blog of my life. Dr. Abhay Dash is senior to us by age and experience and has superannuated from Central Government Health Services as Medical Superintendent of Safdarjung Hospital, New Delhi and now lives in Ghaziabad. Basically, this satire carries the same feelings of mine as well as many others and I feel proud and privileged to post Dr. Abhay Dash.


                                                ଭକୁଆ ର ଆତ୍ମକଥା 

                                                  ( ରମ୍ୟ ରଚନା ) 


ଭକୁଆ ଶବ୍ଦର ବହୁଳ ପ୍ରଚଳନ ଶୁଣି ମୋର ମନହେଲା ଏହାର ଅର୍ଥ ଖୋଜି ପାଇବା ପାଇଁ । କେଉଁ ଅଭିଧାନ ଦେଖି ନାହିଁ ।ଯାହା ଶୁଣିଛି ଠାସୁକମାରି କହୁଛି ।ମୁଁ ସେଇଭିତରୁ ଜଣେ । ସେଥିପାଇଁ ନିଜର ଆତ୍ମକଥା ଲେଖିବା ସାହସ ଯୁଟାଇଛି । ପିଲାଦିନେ ତିଆଡି ଘର ବାଡିରେ ପିଜୁଳି ଚୋରିକରିବାକୁ ଯାଇଥିଲୁ ଆମେ ତିନିଜଣ । ମଧୁଆ , କାହ୍ନୁଆ ଆଉ ମୁଁ । ସେ ଦିହେଁ ଦିଇଟା ଗଛରେ ଚଢ଼ିଲେ । ମତେ କହିଲେ ତୁ ତଳେ ଥା , ଆମେ ଯେଉଁ ପିଜୁଳି ପକେଇବୁ ତାକୁଗୋଟେଇ ଗାମୁଛାରେ ବାନ୍ଧିବୁ । ହଁ ଗୋଟାଏ କଥା, ସେ ଦୁଆର ଆଡ଼କୁ ଚାହିଁଥିବୁ କାନେଇଥିବୁ ଜଞ୍ଜୀରଖୋଲିବା ଶବ୍ଦକୁ । ଆମକୁ ଗୋଟାଏ ସୁସୁରି ମାରିଦେବୁ ଆମେ ଗୋଲହୋଇଯିବୁ ।ତୁ ଆମପଛେ ପଛେ ଚୋର ଚୋରଡାକି ଦୌଡ଼ିବୁ । ତିଆଡି ବୁଢ଼ା ବାଦୁଡି ହୁରୁଡେଇବାକୁ ଦିଇଟା ଟିଣ ବାନ୍ଧି ଥାଆନ୍ତି ଦିଇ ଗଛରେ । ସେସମୟରେ ଏପରି ବ୍ୟବସ୍ଥା ହେଉଥିଲା । ଆଜିକାଲି କାହାବାଡିରେ ପିଜୁଳି ଗଛଟାଏ ନାହିଁ । ଆମ ଆଡେ କେହି ଗଛଲଗାନ୍ତି ନାହିଁ । ଅନ୍ୟ ର ଗଛ ଉପରେ ନଜର । ଏମିତି କି ଠାକୁର ଭକ୍ତି ଯେ ନକୁହ । ନିଜ ବାଡ଼ିରେ ଫୁଲଗଛଟିଏ ଲଗେଇ ବେ ନାହିଁ । ଖଣ୍ଡେ ଲଗି ନହେଲେ ବଙ୍କୁଲି ବାଡିଧରି ଦୁନିଆ ଯାକ ବୁଲୁଥିବେ ଫୁଲଗଣ୍ଡାଏ ପାଇଁ । ପିଜୁଳି ଟାଏ ଦେଖିବାକୁହେଲେ ବିରିଡି ହାଟପାଳିକୁ ଚାହିଁଥାଅ ନହେଲେ କଟକ । ବିରିଡି ହାଟ ବହୁତ ବଢ଼ିଯାଇଥିଲା ସେସମୟରେ । ସରସ୍ବତୀ ପୂଜା କୁ ଯାତ୍ରାହୁଏ ସାତଦିନ କାଳ ଦିନ ରାତି ଯାତ୍ରା ଚାଲିଥାଏ ।କଟକରୁ କେତେ ଦୋକାନ , ଖଟପଲଙ୍କ ଆଲମାରୀ , ଚକିଶିଳ ,ଝାଡୁ ପାପୋଛ ,ମିଠା ଦୋକାନ ,କେଡେ କେଡ଼େ ରସଗୋଲା ଜଲିପି ତା ସାଙ୍ଗକୁ ସର୍କସ ତମ୍ବୁ ପକେଇ ସିନେମା ଆସି ପୁରା ଗହଳ ଚହଳ ବଢ଼ାଇ ଦିଏ । ଆଉସେ ଯାତ ହଉଚିକି ନାହିଁ କେଜାଣି ? 

            ଗଛଡାଳରୁ ଟିଣହଲିବା ଶବ୍ଦ ଶୁଣି ତିଆଡି ବୁଢ଼ା କବାଟ ଖୋଲା ଶବ୍ଦ ଶୁଣିବାରେ ଟିକିଏ ଡେରି ହୋଇଗଲା ମୁଁ ଜୀବନ ବିକଳରେ ସୁସୁରି ମାରିବି କଣ ମୋର ସୁସୁ ହୋଇଗଲା । ସେ ଦିହେଁ ଡେଇଁ ପଡି ପଳେଇ ଗଲେ , ଧରାପଡିଗଲି ମୁଁ । ବୁଢ଼ା ମତେ ମାଡିବସି ନନାଙ୍କ ଆଗରେ ଠିଆ କରାଇଦେଲା । ଦେଖ ତୋ ପୁଅ ମୋ ବାଡିରୁ ଚୋରି କରିଛି । ଭାବୁଥିଲି ତିଆଡିଏ ହାଇକୋର୍ଟ କି ଜଜକୋର୍ଟ ହେଲେ ଯାଇଥାଆନ୍ତେ । ଟିକିଏ ସମୟ ମିଳିଥାଆନ୍ତା ମିଛକହିବାକୁ କି କିଛି ବାହାନା କରିବାକୁ । କୋର୍ଟ ହୁଏତ ଯୁଭେନାଇଲକୋର୍ଟକୁ ରେଫର କରିଦେଇଥାଆନ୍ତା କି ପାର୍ଡନ କରି ଦେଇ ଥାଆନ୍ତେ । ନନାଙ୍କକୋର୍ଟ ରେ ନୋ ପାର୍ଡନ ,ଇନଷ୍ଟାନଣ୍ଟ୍ ଜଜମେଣ୍ଟ୍ । ଗୋଟିଏ ପନିସମେଣ୍ଟ ଫର ଅଲ୍ ଅଫେନ୍ସ୍ ତାଙ୍କ ଦଣ୍ଡ ବିଧି ସଂହିତା ରେ ଲେଖା ଅଛି । କାନଧରି ଶହେଥର ବସ ଉଠ୍ । ମୋର ସେ ଚାଣକ୍ୟ ବୁଢ଼ା ଉପରେ ରାଗ ଉଠୁଥିଲା । ଲେଖିଦେଇ ଯାଇଛି ଦଶବର୍ଷାଣି ତାଡୟେତ୍ । ଶହେଥର ବସ ଉଠ୍ କଣ ସହଜକାମ ? କୋଉଁ ବାବା ରାମଦେବ ହେଇଛି କି ? ତା ପରେ ବେତମାଡ । ନନା ସ୍ବାଧୀନତା ସଂଗ୍ରାମୀ ଥିଲେ ତ ବ୍ରିଟିଶ ସିପାହୀଙ୍କ ଠାରୁ ଯେତେମାଡ ଖାଇଥିଲେ ସବୁ ମୋ ଉପରେ ଅଜାଡିଦେଲେ । ତାଙ୍କ ପେନାଲ୍ କୋର୍ଡ , ଦଣ୍ଡବିଧିସଂହିତା ବୁଝିବାକୁ ମୋତେ ବେଶିଦିନ ଲାଗି ନାହିଁ । ସେ ଚାଣକ୍ୟ ନିତି " କାକସ୍ନାନ ବକଧ୍ୟାନ ,ସ୍ବାନନିଦ୍ରା , ଅଳ୍ପାହାରି ,ଗୃହତ୍ୟାଗୀ ଇତ୍ୟାଦି ତା ସହ ଏ ଲାଳୟେତ୍ ତାଡୟେତ୍ " ଆଇନ ବହୁତ ଶୁଣିଛି । ମଧୁଆ , କାହ୍ନୁଆ ଖସିଗଲେ , ମାଡଖାଇଲା  ଭକୁଆ ,ଅଭୟ ଦାଶ , ସୁପୁତ୍ର ଅନ୍ତର୍ଯ୍ୟାମୀ ଦାଶ । 

            ଆମଗାଁରେ ରଜକୁ ଯାତ୍ରା ହୁଏ । ସେହି ଯାତ୍ରାରେ ଦେଖି ଥିଲି ଶିଶୁପାଳକୁ ,ବରବେଶ ହୋଇ ଆସିଛି ରୁକ୍ମିଣି କୁ ବାହାହେବ, ହେଲା କଣ ସେ ଝିଅ ର ସଟ୍ ଥିଲା କୃଷ୍ଣଙ୍କ ସାଥିରେ , କୃଷ୍ଣଙ୍କୁ ତ ସମସ୍ତେ ଜାଣନ୍ତି ସବୁ ଗଣ୍ଡଗୋଳ ଭିତରେ ଥିବେ ସବୁ ନାଟର ଗୋବର୍ଦ୍ଧନ ସିଏ ।ଶିଶୁପାଳକୁ ଭକୁଆ ହେବାକୁ ପଡିଲା ।ଆଉ ଆଗକୁ ମୋର କିଛି ମନେନାହିଁଁ । ମୁଁ ସେଇଥିରୁ ଗୋଟାଏ । ଯାହାକୁ ଭଲପାଉଥିଲି ସିଏ ଆଉଜଣକ ସାଙ୍ଗରେ ଖସିଗଲା , ସାଙ୍ଗ ମାନେ ମୋତେ କିଏ କହିଲା ଶିଶୁପାଳ କିଏକହିଲା ଭକୁଆ  ଏକଥା ମୁଁ କାହାକୁ କହିନାହିଁ । ଆତ୍ମକଥା ତ ସେଥିପାଇଁ ଲେଖିଦେଲି । 

            ପରୀକ୍ଷାରେ ମୋସାଙ୍ଗ କପିକଲା ମୋ ଖାତାରୁ , ସିଏ ଭଲନମ୍ବର ରଖିଲା ମୋତେ ଧରାଇ ଦେଲା , ଭକୁଆ ହେଲି ନା ନାହିଁ ? ସିଏ ପଇସା ଖାଇ ବଡଲୋକ ହେଲା , ବଡଘର କଲା , ମୋ ଦ୍ୱାରା ହେଲା ନାହିଁ । ଘରେ ନିତି ଶୁଣୁଛି ସିଏ ତ ସେଇ ଚାକିରି କରିଥିଲେ ତୁମେ କଣ କଲ ? ଭ,,,,ହ ଉ ବୁଝିଗଲି ଥା ଉ 

            ମୁଁ କଣ ଏକା ? ମୋଭଳିଆ ଅନେକ ଅଛନ୍ତି । ସେମାନେ କହୁନାହାନ୍ତି , ମୁଁ କହିଦେଉଛି ବୋଲି ମୁଁ ଭକୁଆ । ବଡ଼ ବଡ଼ଲୋକ ଆଜ୍ଞା , କିଏ କଲେକ୍ଟର, କିଏ ଜଜ୍, ଆଡଭୋକେଟ , ଆଇପିଏସ୍ ,ପ୍ରଫେସର , ଡାକ୍ତର ,ମାନେ ଯାହାକୁ କହନ୍ତି ଡାକ୍ତର ,ନିତି ଟିଭିରେ ଦେଖା ଦିଅନ୍ତି । ସେଇଭଳିଆ ଲୋକ ।ଏବେ ଧିରେ ଧିରେ ପାଟି ଫିଟାଇଲେଣି , କିଏ କେତେ ବୁଡେଇଛନ୍ତି କେଉଁ ବିଲ୍ଡ଼ର ପାଖରେ । ଗୋଟିଏ ପେଗ୍ ହ୍ବିସ୍କି ପରେ ସବୁ ବାହାରି ଆସୁଛି ।ଖାଲି ଭକୁଆ ଷ୍ଟିକର ଟା ମୋଅରି ମୁଣ୍ଡରେ ଲାଗି ଛି ।ଆଉ ପଞ୍ଝାଏ ଚିଟଫଣ୍ଡ ରେ ବୁଡାଇଛନ୍ତି ।ପଞ୍ଝାଏ ମୋବାଇଲ ଫୋନ ରେ ଅଜଣା ଲୋକ କୁ ଓଟିପି କହି କେତେ ବୁଡାଇଛନ୍ତି । ମୁଁ ବି ସେଇଥିରୁ ଜଣେ । ମୋଭଳି ସାଙ୍ଗ ମାନଙ୍କୁ ପାଇ ନିଜକୁ ଗୌରବାନ୍ବିତ ମନେ କରୁଛି । ମୁଁ ଏକା ନୁହେଁ । ଦିପଦ ମନେ ପଡ଼ିଲା " କୋଃ ନଯାତି ଯମୁନା ଜଳସଂଗ୍ରହାର୍ଥେ ? କୋଃ ନଯାତି ମଥୁରାଃ ଦଧିବିକ୍ରୟାର୍ଥଂ ? ରାଧା ଲଲାଟପଟଳେ କୁଳଟାପବାଦଃ "

            ଆମ ସାଙ୍ଗରେ ପୁରା ଦେଶ ଠିଆ ହୋଇ ଯିବ ଯଦି ଭକୁଆ ମାନଙ୍କର ଜନଗଣନା ହେବ । କାହାକୁ ଭୋଟଦେଇଛ ? କଣ କହିଥିଲେ ? କଣ କରିଦେଲେ ? ତୁମେ କଣପାଇଲ ? ସିଏ କଣ ମାରିନେଲେ ? ତୁମେ କେଉଁଠି ? ସିଏ କେଉଁଠି ? ତୁମର କେତେ ? ତାଙ୍କର କେତେ ହୋଇଛି ଏ ଭିତରେ ? କିଏସେ ଭକୁଆ ? ମୁଁ କଣ ଏକା ? ସେତିକି ଥାଉ ।


               ରଚନା - ଅଭୟ ଦାଶ 

               ତା, ୩୦/୦୬/୨୦୨୧




0 Comments:

Post a Comment



<< Home